Jump to content

Wq/or/ରଚନାବଳୀ/ଜଗନ୍ନାଥ ମହାନ୍ତି/ତୁମ ପରି ଛୋଟ ପିଲାଟିଏ

From Wikimedia Incubator

ତୁମ ପରି ଛୋଟ ପିଲାଟିଏ ମଧୁସୁଦନ ଦାସଙ୍କ ଉପରେ ଜଗନ୍ନାଥ ମହାନ୍ତିଙ୍କ ରଚିତ ଏକ ଶିଶୁ କବିତା ।

ତୁମ ପରି ଛୋଟ ପିଲାଟିଏ
ଗାଆଁ ଚହାଳୀର ଚାଟ ସିଏ
ଚେହେରାଟି ତାର ଡଉଲ ଡାଉଲ
ପାଠରେ ତାହାର ସରି କିଏ ?

ଛାଡି ଯାଇଥିଲା ଦିନେ ଝଡି
ବାହାରିଲା ସିଏ ପାଠ ପଢି
ବାଟେ ଯାଉଯାଉ ଖସିଗଲା ଗୋଡ
ମୁଁହ ମାଡି ତଳେ ଗଲା ପଡି॥
ଗୁରୁଜୀ ଦେଖିଲେ ଦେହ ତାର
ପାଣି କାଦୁଅ ରେ ସର ସର
ତିଳେହେଁ ସେଥିକୁ ଖାତିରି ନକରି
ଆସିଛି ହୋଇ ସେ ତର ବର॥
ପଚାରିଲେ ଗୁରୁ ଏକି ହେଲା
ଏତେ ସରି ତୋତେ କିଏ କଲା
ପିଲାଟି କହିଲା ବେଗେ ଆସୁଆସୁ
କାଦୁଆରେ ଗୋଡ ଖସିଗଲା॥
ହେଲା ଦଶହରା ଛୁଟି ବେଳ
ପିଲାଟି ସଭିଙ୍କି କଲା ମେଳ
ମାଟି ଗୋଡି ବାଲି ପକାଇ ସଭିଏଁ
ଗାଆଁ ମାଟି କଲେ ସମତୁଲ॥
ଏହା ଦେଖି ଲୋକେ ହେଲେ କାବା
ଡକାଇଲେ ଗୁରୁ ଚାଟସଭା
କହିଲେ ଏଭଳି ଭଲକାମ କଲେ
ନିଶ୍ଚେ ଆମେ ଦିନେ ବଡହେବା॥
ବଡ ହେଲା ଦିନେ ସେହି ପିଲା
ମଧୁ ବାରିଷ୍ଟର ବୋଲାଇଲା
ଦେଶ ପାଇଁ କେତେ କାମ କରି ସିଏ
କାଳେ କାଳେ ଯଶ ରଖିଗଲା॥
କହିଲା ଜାତିର କାନେ କାନେ
ଉଠିବୁ ଆଉ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ମହିମା
ପଡୁନାହିଁ କିରେ ତତେ ମନେ ?